﻿ପ୍ରଥମ ବଂଶାବଳୀ.
23.
ଏଥିଉତ୍ତାରେ ଦାଉଦ ବୃଦ୍ଧ ଓ ପୂର୍ଣ୍ଣାୟୁ ହେଲେ ଓ ସେ ଆପଣା ପୁତ୍ର ଶଲୋମନଙ୍କୁ ଇସ୍ରାଏଲ ଉପରେ ରାଜା କଲେ। 
ଆଉ ସେ ଇସ୍ରାଏଲର ସମସ୍ତ ଅଧିପତିଙ୍କୁ ଓ ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଏକତ୍ର କଲେ। 
ତହୁଁ ତିରିଶ ବର୍ଷ ଓ ତହିଁରୁ ଊର୍ଦ୍ଧ୍ୱ ବୟସ୍କ ଲେବୀୟମାନେ ଗଣିତ ହେଲେ; ତହିଁରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣତିରେ ସେମାନେ ଅଠତିରିଶି ହଜାର ହେଲେ। 
ସେମାନଙ୍କ ମଧ୍ୟରୁ ଚବିଶ ହଜାର ଲୋକ ସଦାପ୍ରଭୁଙ୍କ ଗୃହର କାର୍ଯ୍ୟ ଚଳାଇବା ପାଇଁ ନିଯୁକ୍ତ ଥିଲେ; ଆଉ ଛଅ ହଜାର ଲୋକ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ଥିଲେ; 
ଆଉ ଚାରି ହଜାର ଲୋକ ଦ୍ୱାରପାଳ ଥିଲେ; ଆଉ ପ୍ରଶଂସାର୍ଥେ ମୁଁ ଯେଉଁ ବାଦ୍ୟଯନ୍ତ୍ରସବୁ ନିର୍ମାଣ କଲି ବୋଲି ଦାଉଦ କହିଲେ, ତଦ୍ଦ୍ୱାରା ଚାରି ହଜାର ଲୋକ ସଦାପ୍ରଭୁଙ୍କର ପ୍ରଶଂସା କଲେ। 
ପୁଣି, ଦାଉଦ ସେମାନଙ୍କୁ ଲେବୀର ପୁତ୍ରମାନଙ୍କ (ବଂଶ) ଅନୁସାରେ ନାନା ପାଳିରେ ବିଭକ୍ତ କଲେ; ଗେର୍ଶୋନ‍, କହାତ ଓ ମରାରି। 
ଗେର୍ଶୋନୀୟମାନଙ୍କ ମଧ୍ୟରୁ ଲାଦନ୍‍ ଓ ଶିମୀୟି। 
ଲାଦନ୍‍ର ପୁତ୍ର; ପ୍ରଧାନ ଯିହୀୟେଲ, ତାହା ଉତ୍ତାରେ ସେଥମ୍‍ ଓ ଯୋୟେଲ, ତିନି ଜଣ। 
ଶିମୀୟିର ପୁତ୍ର; ଶଲୋମୀତ୍‍ ଓ ହସୀୟେଲ୍‍ ଓ ହାରଣ; ତିନି ଜଣ। ଏମାନେ ଲାଦନ୍‍ଙ୍କ ପିତୃବଂଶର ପ୍ରଧାନ ଥିଲେ। 
ପୁଣି, ଶିମୀୟିର ପୁତ୍ର; ଯହତ୍‍, ସୀଷ, ଯିୟୂଶ୍‍ ଓ ବରୀୟ। ଏହି ଚାରି ଜଣ ଶିମୀୟିର ପୁତ୍ର ଥିଲେ। 
ଯହତ୍‍ ପ୍ରଧାନ, ଦ୍ୱିତୀୟ ସୀଷ; ମାତ୍ର ଯିୟୂଶ୍‍ ଓ ବରୀୟର ଅନେକ ପୁତ୍ର ନ ଥିଲେ; ଏହେତୁ ସେମାନେ ଏକତ୍ର ଗଣିତ ହୋଇ ଏକ ପିତୃବଂଶ ହେଲେ। 
କହାତର ପୁତ୍ର; ଅମ୍ରାମ୍‍, ଯିଷ୍‍ହର, ହିବ୍ରୋଣ ଓ ଉଷୀୟେଲ; ଚାରି ଜଣ। 
ଅମ୍ରାମ୍‍ର ପୁତ୍ର; ହାରୋଣ ଓ ମୋଶା; ପୁଣି, ହାରୋଣ ଯେପରି ମହାପବିତ୍ର ବସ୍ତୁ ପବିତ୍ର କରିବ, ଏଥିପାଇଁ ଯୁଗାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପଦାହ, ତାହାଙ୍କର ପରିଚର୍ଯ୍ୟା ଓ ତାହାଙ୍କ ନାମରେ ଆଶୀର୍ବାଦକରଣାର୍ଥେ ସେ ଓ ତାହାର ପୁତ୍ରମାନେ ଯୁଗାନୁକ୍ରମେ ପୃଥକ କରାଗଲେ। 
ମାତ୍ର, ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପୁତ୍ରମାନେ ଲେବୀ-ବଂଶ ମଧ୍ୟରେ ଉଲ୍ଲିଖିତ ହେଲେ। 
ମୋଶାଙ୍କର ପୁତ୍ର; ଗେର୍ଶୋମ ଓ ଇଲୀୟେଜର। 
ଗେର୍ଶୋମର ସନ୍ତାନମାନଙ୍କ ମଧ୍ୟରେ ଶବୂୟେଲ ପ୍ରଧାନ। 
ଆଉ, ଇଲୀୟେଷରର ସନ୍ତାନମାନଙ୍କ ମଧ୍ୟରେ ରହବୀୟ ପ୍ରଧାନ। ଏହି ଇଲୀୟେଜରର ଆଉ ପୁତ୍ର ନ ଥିଲେ, ମାତ୍ର, ରହବୀୟର ବହୁସଂଖ୍ୟକ ସନ୍ତାନ ଥିଲେ। 
ଯିଷ୍‍ହରର ପୁତ୍ରମାନଙ୍କ ମଧ୍ୟରେ ଶଲୋମୀତ୍‍ ପ୍ରଧାନ ଥିଲା। 
ହିବ୍ରୋଣର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ଯିରୀୟ, ଦ୍ୱିତୀୟ ଅମରୀୟ, ତୃତୀୟ ଯହସୀୟେଲ, ଚତୁର୍ଥ ଯିକ୍‍ମୀୟାମ୍‍। 
ଉଷୀୟେଲର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ମୀଖା, ଦ୍ୱିତୀୟ ଯିଶୀୟ। 
ମରାରିର ପୁତ୍ର ମହଲି ଓ ମୂଶି; ମହଲିର ପୁତ୍ର ଇଲୀୟାସର ଓ କୀଶ୍‍; 
ଇଲୀୟାସର ମଲା, ତାହାର ପୁତ୍ର ନ ଥିଲେ, କେବଳ କେତୋଟି କନ୍ୟା ଥିଲେ; ପୁଣି, ସେମାନଙ୍କ ଜ୍ଞାତି କୀଶ୍‍ର ପୁତ୍ରମାନେ ସେମାନଙ୍କୁ ବିବାହ କଲେ। 
ମୂଶିର ପୁତ୍ର ମହଲି, ଏଦର ଓ ଯେରେମୋତ୍‍, ତିନି ଜଣ। 
ଏମାନେ ଆପଣା ଆପଣା ପିତୃବଂଶାନୁସାରେ ଲେବୀର ସନ୍ତାନ, ପୁଣି, କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ୱ ବୟସ୍କ ଯେଉଁମାନେ ଆପଣା ଆପଣା ନାମ ଓ ମସ୍ତକାନୁସାରେ ଗଣିତ ହୋଇ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ କଲେ, ସେମାନଙ୍କ ପିତୃବଂଶର ପ୍ରଧାନ ଥିଲେ। 
କାରଣ ଦାଉଦ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି ଓ ସେ ଯୁଗାନୁକ୍ରମେ ଯିରୂଶାଲମରେ ବସତି କରନ୍ତି, 
ଆହୁରି ମଧ୍ୟ ଲେବୀୟମାନଙ୍କୁ ଆବାସ ଓ ତହିଁର ସେବାର୍ଥକ ପାତ୍ରସବୁ ବୋହିବାର ଆଉ ପ୍ରୟୋଜନ ହେବ ନାହିଁ।” 
କାରଣ, ଦାଉଦଙ୍କର ଶେଷ ବାକ୍ୟାନୁସାରେ ଲେବୀ-ସନ୍ତାନମାନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ୱ ବୟସ୍କ ଲୋକ ଗଣିତ ହେଲେ। 
କାରଣ, ସଦାପ୍ରଭୁଙ୍କ ଗୃହର ସେବାର୍ଥେ ପ୍ରାଙ୍ଗଣରେ ଓ କୋଠରିରେ ଓ ପରମେଶ୍ୱରଙ୍କ ଗୃହର ସେବାକାର୍ଯ୍ୟାର୍ଥକ ସମସ୍ତ ପବିତ୍ର ବସ୍ତୁ ଶୁଚି କରିବାରେ ହାରୋଣ-ସନ୍ତାନମାନଙ୍କ ସେବା କରିବାର ଲେବୀୟମାନଙ୍କର କାର୍ଯ୍ୟ ଥିଲା; 
ଆହୁରି ଦର୍ଶନୀୟ ରୁଟିର ଓ ତାଡ଼ିଶୂନ୍ୟ ସରୁ ଚକୁଳି ଅବା ପଲମରେ ଭଜା କି ରନ୍ଧା ଭକ୍ଷ୍ୟ ନୈବେଦ୍ୟ ପାଇଁ ସରୁ ମଇଦାର ଓ ସର୍ବପ୍ରକାର ପରିମାଣ ଓ ତୌଲର କାର୍ଯ୍ୟ; 
ପୁଣି, ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ ଠିଆ ହେବାର; 
ଆଉ ନିତ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ନିରୂପିତ ପର୍ବସବୁରେ ସେସମ୍ବନ୍ଧୀୟ ବିଧିମତେ ସଂଖ୍ୟାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମସ୍ତ ହୋମବଳି ଉତ୍ସର୍ଗ କରିବା, ସେମାନଙ୍କର କାର୍ଯ୍ୟ ଥିଲା; 
ଏହେତୁ ସେମାନେ ସମାଗମ-ତମ୍ବୁର ରକ୍ଷଣୀୟ ଓ ପବିତ୍ର ସ୍ଥାନର ରକ୍ଷଣୀୟ ଓ ସଦାପ୍ରଭୁଙ୍କ ଗୃହର ସେବାକର୍ମ ନିମନ୍ତେ ଆପଣାମାନଙ୍କ ଭ୍ରାତା ହାରୋଣ-ସନ୍ତାନଗଣର ରକ୍ଷଣୀୟ ରକ୍ଷା କରିବେ। 
