﻿ନିହିମୀୟା.
12.
ଯେଉଁ ଯାଜକମାନେ ଓ ଲେବୀୟମାନେ ଶଲ୍ଟୀୟେଲର ପୁତ୍ର ଯିରୁବ୍ବାବିଲ୍‍ ଓ ଯେଶୂୟ ସଙ୍ଗେ ଆସିଥିଲେ, ସେମାନେ ଏହି, ଯଥା, ସରାୟ, ଯିରିମୀୟ, ଏଜ୍ରା; 
ଅମରୀୟ, ମଲ୍ଲୂକ, ହଟୂଶ୍‍, 
ଶଖନୀୟ, ରହୂମ୍‍, ମରେମୋତ୍‍; 
ଇଦ୍ଦୋ, ଗିନ୍ନଥୋୟ, ଅବୀୟ; 
ମିୟାମୀନ୍‍, ମୋୟଦୀୟ, ବିଲ୍ଗା; 
ଶମୟୀୟ ଓ ଯୋୟାରୀବ୍‍, ଯିଦୟୀୟ; 
ସଲ୍ଲ, ଆମୋକ, ହିଲ୍‍କୀୟ, ଯିଦୟୀୟ। ଏମାନେ ଯେଶୂୟଙ୍କ ସମୟରେ ଯାଜକମାନଙ୍କ ଓ ଆପଣା ଆପଣା ଭ୍ରାତୃଗଣଙ୍କ ମଧ୍ୟରେ ପ୍ରଧାନ ଥିଲେ। 
ଆଉ ଲେବୀୟମାନେ, ଯଥା, ଯେଶୂୟ, ବିନ୍ନୁୟି, କଦ୍‍ମୀୟେଲ, ଶେରେବୀୟ, ଯିହୁଦା ଓ ମତ୍ତନୀୟ, ଏହି ମତ୍ତନୀୟ ଓ ତାହାର ଭ୍ରାତୃଗଣ ଧନ୍ୟବାଦ-ସେବାର ଅଧ୍ୟକ୍ଷ ଥିଲେ। 
ମଧ୍ୟ ସେମାନଙ୍କର ଭ୍ରାତା ବକ୍‍ବୁକୀୟ ଓ ଉନ୍ନି ସେମାନଙ୍କ ସମ୍ମୁଖରେ ପ୍ରହରୀକର୍ମ କଲେ। 
ପୁଣି, ଯେଶୂୟର ପୁତ୍ର ଯୋୟାକୀମ୍‍, ଯୋୟାକୀମ୍‍ର ପୁତ୍ର ଇଲୀୟାଶୀବ ଓ ଇଲିୟାଶୀବ୍‍ର ପୁତ୍ର ଯୋୟାଦ୍‍, 
ଯୋୟାଦ୍‍ର ପୁତ୍ର ଯୋନାଥନ ଓ ଯୋନାଥନର ପୁତ୍ର ଯଦ୍ଦୂୟ। 
ପୁଣି, ଯୋୟାକୀମ୍‍ର ସମୟରେ ଏହି ଯାଜକମାନେ ପିତୃବଂଶ-ପ୍ରଧାନ ଥିଲେ, ଯଥା, ସରାୟ-ବଂଶର ମରାୟ; 
ଯିରିମୀୟ-ବଂଶର ହନାନୀୟ; ଏଜ୍ରା-ବଂଶର ମଶୁଲ୍ଲମ୍‍; ଅମରୀୟ-ବଂଶର ଯିହୋହାନନ୍‍; 
ମଲ୍ଲୁକି-ବଂଶର ଯୋନାଥନ, ଶବନୀୟ-ବଂଶର ଯୋଷେଫ; 
ହାରୀମ-ବଂଶର ଅଦନ୍‍; ମରାୟୋତ୍‍-ବଂଶର ହିଲ୍‍କୟ; 
ଇଦ୍ଦୋ-ବଂଶର ଜିଖରୀୟ; ଗିନ୍ନଥୋନ-ବଂଶର ମଶୁଲ୍ଲମ୍‍; 
ଅବୀୟ-ବଂଶର ସିଖ୍ରି; ମିନ୍ୟାମୀନ-ବଂଶର, ମୋୟଦୀୟ-ବଂଶର ପିଲ୍‍ଟେୟ; 
ବିଲ୍ଗା-ବଂଶର ଶମ୍ମୂୟ; ଶମୟୀୟ-ବଂଶର ଯିହୋନାଥନ୍‍; 
ଆଉ, ଯୋୟାରୀବ୍‍-ବଂଶର ମତ୍ତନୟ; ଯିଦୟୀୟ-ବଂଶର ଉଷି; 
ସଲ୍ଲୟ-ବଂଶର କଲ୍ଲୟ; 
ଆମୋକ-ବଂଶର ଏବର; ହିଲ୍‍କୀୟ-ବଂଶର ହଶବୀୟ; ଯିଦୟୀୟ-ବଂଶର ନଥନେଲ। 
ଇଲୀୟାଶୀବ, ଯୋୟାଦ୍‍ ଓ ଯୋହାନନ୍‍ ଓ ଯଦ୍ଦୂୟ ସମୟରେ ଲେବୀୟମାନେ, ମଧ୍ୟ ପାରସିକ ଦାରୀୟାବସର ଅଧିକାର ସମୟରେ ଯାଜକମାନେ ପିତୃବଂଶ-ପ୍ରଧାନ ରୂପେ ବଂଶାବଳୀରେ ଲିଖିତ ହେଲେ। 
ଲେବୀ ବଂଶଜାତ ପିତୃବଂଶ-ପ୍ରଧାନମାନଙ୍କ ନାମ ଇଲୀୟାଶୀବର ପୁତ୍ର ଯୋହାନନ୍‍ର ସମୟ ପର୍ଯ୍ୟନ୍ତ ବଂଶାବଳୀ ପୁସ୍ତକରେ ଲିଖିତ ହେଲା। 
ଲେବୀୟମାନଙ୍କର ପ୍ରଧାନଗଣ; ହଶବୀୟ, ଶେରେବୀୟ ଓ କଦ୍‍ମୀୟେଲର ପୁତ୍ର ଯେଶୂୟ ଓ ସେମାନଙ୍କ ସମ୍ମୁଖସ୍ଥ ଭ୍ରାତୃଗଣ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ଆଜ୍ଞାନୁସାରେ ଦଳ ଦଳ ହୋଇ ପ୍ରଶଂସା ଓ ଧନ୍ୟବାଦ ଉତ୍ସର୍ଗ କରିବାକୁ ନିଯୁକ୍ତ ହେଲେ। 
ମତ୍ତନୀୟ ଓ ବକ୍‍ବୁକୀୟ, ଓବଦୀୟ, ମଶୁଲ୍ଲମ୍‍, ଟଲ୍‍ମୋନ, ଅକ୍କୂବ, ଦ୍ୱାରପାଳ ହୋଇ ଦ୍ୱାର ନିକଟବର୍ତ୍ତୀ ଭଣ୍ଡାର-ଗୃହସକଳର ପ୍ରହରୀକର୍ମ କଲେ। 
ଏମାନେ ଯୋଷାଦକର ପୌତ୍ର ଯେଶୂୟର ପୁତ୍ର ଯୋୟାକୀମ୍‍ ସମୟରେ, ଆଉ ଶାସନକର୍ତ୍ତା ନିହିମୀୟା ଓ ଅଧ୍ୟାପକ ଏଜ୍ରା ଯାଜକର ସମୟରେ ଥିଲେ। 
ଏଥିଉତ୍ତାରେ ଯିରୂଶାଲମର ପ୍ରାଚୀର-ପ୍ରତିଷ୍ଠା ସମୟରେ ଲୋକମାନେ କରତାଳ, ନେବଲ ଓ ବୀଣା ବଜାଇ ଧନ୍ୟବାଦ ଓ ଗାନ ସହିତ ଆନନ୍ଦରେ ପ୍ରତିଷ୍ଠା-ଉତ୍ସବ ପାଳନ କରିବା ପାଇଁ ଲେବୀୟମାନଙ୍କୁ ଯିରୂଶାଲମକୁ ଆଣିବା ନିମନ୍ତେ ସେମାନଙ୍କ ସକଳ ସ୍ଥାନରେ ସେମାନଙ୍କୁ ଅନ୍ୱେଷଣ କଲେ। 
ଆଉ, ଗାୟକମାନଙ୍କ ସନ୍ତାନଗଣ ଯିରୂଶାଲମର ଚତୁର୍ଦ୍ଦିଗସ୍ଥିତ ପଦାଭୂମିରୁ ଓ ନଟୋଫାତୀୟମାନଙ୍କ ନାନା ଗ୍ରାମରୁ; 
ମଧ୍ୟ ବେଥ୍-ଗିଲ୍‍ଗଲରୁ, ଆଉ ଗେବା ଓ ଅସ୍ମାବତ୍‍ କ୍ଷେତ୍ରରୁ ଏକତ୍ରିତ ହେଲେ; କାରଣ ଗାୟକମାନେ ଯିରୂଶାଲମର ଚତୁର୍ଦ୍ଦିଗରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇଥିଲେ। 
ପୁଣି, ଯାଜକମାନେ ଓ ଲେବୀୟମାନେ ଆପଣା ଆପଣାକୁ ଶୁଚି କଲେ; ଆଉ, ସେମାନେ ଲୋକମାନଙ୍କୁ ଓ ଦ୍ୱାରସବୁ ଓ ପ୍ରାଚୀର ଶୁଚି କଲେ। 
ଏଥିଉତ୍ତାରେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି, ଆଉ ଧନ୍ୟବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିଯୁକ୍ତ କଲି; ତହିଁରେ ଏକ ଦଳ ଦକ୍ଷିଣ ପାର୍ଶ୍ଵରେ ପ୍ରାଚୀର ଉପର ଦେଇ ଖତ-ଦ୍ୱାର ଆଡ଼କୁ ଗଲେ; 
ପୁଣି, ସେମାନଙ୍କ ପଛେ ହୋଶୟିୟ ଓ ଯିହୁଦାର ଅଧିପତିବର୍ଗର ଅର୍ଦ୍ଧେକ, 
ଆଉ ଅସରୀୟ, ଏଜ୍ରା ଓ ମଶୁଲ୍ଲମ୍‍, 
ଯିହୁଦା ଓ ବିନ୍ୟାମୀନ୍ ଓ ଶମୟୀୟ ଓ ଯିରିମୀୟ 
ଓ କେତେକ ଯାଜକ-ସନ୍ତାନ ତୂରୀ ନେଇ ଗମନ କଲେ; ଆସଫ-ବଂଶଜାତ ସକ୍କୁରର ବୃଦ୍ଧ ପ୍ରପୌତ୍ର, ମୀଖାୟର ପ୍ରପୌତ୍ର, ମତ୍ତନୀୟର ପୌତ୍ର, ଶମୟୀୟର ପୁତ୍ର ଯେ ଯୋନାଥନ, ତାହାର ପୁତ୍ର ଜିଖରୀୟ 
ଓ ତାହାର ଭ୍ରାତୃଗଣ ଶମୟୀୟ ଓ ଅସରେଲ୍‍, ମିଲଲୟ, ଗିଲଲୟ, ମାୟୀୟ, ନଥନେଲ ଓ ଯିହୁଦା, ହନାନି, ଏମାନେ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ନିରୂପିତ ନାନା ବାଦ୍ୟଯନ୍ତ୍ର ନେଇ ଗମନ କଲେ; ଏଜ୍ରା ଅଧ୍ୟାପକ ସେମାନଙ୍କ ଆଗେ ଆଗେ ଚାଲିଲେ; 
ପୁଣି, ସେମାନେ ନିର୍ଝରଦ୍ୱାର ନିକଟ ହୋଇ ଆପଣାମାନଙ୍କ ସମ୍ମୁଖସ୍ଥ ସଳଖ ପଥରେ ଦାଉଦ-ନଗରର ପାହାଚ ଦ୍ୱାରା ପ୍ରାଚୀରର ଉଠାଣିରେ ଉଠି ଦାଉଦଙ୍କର ଗୃହ ଉପର ଦେଇ ପୂର୍ବ ଆଡ଼େ ଜଳଦ୍ୱାର ପର୍ଯ୍ୟନ୍ତ ଗଲେ। 
ପୁଣି, ସେମାନଙ୍କର ଅନ୍ୟ ଯେଉଁ ଦଳ ଧନ୍ୟବାଦ ଉତ୍ସର୍ଗ କଲେ, ସେମାନେ ସେମାନଙ୍କୁ ସାକ୍ଷାତ କରିବାକୁ ଗଲେ, ଆଉ ଆମ୍ଭେ ଓ ଲୋକମାନଙ୍କର ଅର୍ଦ୍ଧେକ ସେମାନଙ୍କ ପଛେ ପଛେ ପ୍ରାଚୀର ଉପରେ ତୁନ୍ଦୁରୁ-ଦୁର୍ଗ ଦେଇ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଗଲୁ; 
ଆଉ, ଇଫ୍ରୟିମ-ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟଦ୍ୱାର ଓ ହନନେଲ ଦୁର୍ଗ ଓ ହମିୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ; ଆଉ, ସେମାନେ ପ୍ରହରୀ-ଦ୍ୱାରରେ ଠିଆ ହୋଇ ରହିଲେ। 
ଏହିରୂପେ ପରମେଶ୍ୱରଙ୍କ ଗୃହରେ ଧନ୍ୟବାଦ ଉତ୍ସର୍ଗକାରୀ ସେହି ଦୁଇ ଦଳ ଓ ଆମ୍ଭେ, ପୁଣି ଆମ୍ଭ ସଙ୍ଗେ ଅଧ୍ୟକ୍ଷମାନଙ୍କର ଅର୍ଦ୍ଧେକ; 
ଆଉ ଇଲୀୟାକୀମ୍‍, ମାସେୟ, ମିନ୍ୟାମୀନ, ମୀଖାୟ, ଇଲୀୟୋଐନୟ, ଜିଖରୀୟ, ହନାନୀୟ, ତୂରୀବାଦକ, ଏହି ଯାଜକମାନେ; 
ଆଉ, ମାସେୟ ଓ ଶମୟୀୟ ଓ ଇଲୀୟାସର ଓ ଉଷି ଓ ଯିହୋହାନନ୍‍ ଓ ମଲ୍‍କୀୟ ଓ ଏଲମ୍‍ ଓ ଏସର୍‍, ପୁଣି ଆମ୍ଭେ ସମସ୍ତେ ଠିଆ ହୋଇ ରହିଲୁ। ସେତେବେଳେ ଗାୟକମାନେ ଓ ସେମାନଙ୍କର ଅଧ୍ୟକ୍ଷ ଯିଷ୍ରହିୟ ଉଚ୍ଚସ୍ୱରରେ ଗାନ କଲେ। 
ପୁଣି, ସେହି ଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ; କାରଣ ପରମେଶ୍ୱର ସେମାନଙ୍କୁ ମହାନନ୍ଦରେ ଆନନ୍ଦିତ କରିଥିଲେ; ଆଉ ସ୍ତ୍ରୀମାନେ, ମଧ୍ୟ ଓ ବାଳକ ବାଳିକାଗଣ ଆନନ୍ଦ କଲେ; ତହିଁରେ ଯିରୂଶାଲମର ଆନନ୍ଦଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା। 
ପୁଣି, ସେହି ଦିନରେ ଧନ ଓ ଉତ୍ତୋଳନୀୟ ଉପହାର, ପ୍ରଥମଜାତ ଫଳ ଓ ଦଶମାଂଶ, ଯାଜକ ଓ ଲେବୀୟମାନଙ୍କ ନିମନ୍ତେ ନାନା ନଗରର କ୍ଷେତ୍ରାନୁସାରେ ବ୍ୟବସ୍ଥା-ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କୋଠରିସବୁରେ ଲୋକମାନେ ନିଯୁକ୍ତ ହେଲେ; କାରଣ ପରିଚର୍ଯ୍ୟାକାରୀ ଯାଜକ ଓ ଲେବୀୟମାନଙ୍କ ସକାଶୁ ଯିହୁଦା ଆନନ୍ଦିତ ହୋଇଥିଲା। 
ପୁଣି, ସେମାନେ ଦାଉଦ ଓ ତାଙ୍କର ପୁତ୍ର ଶଲୋମନଙ୍କର ଆଜ୍ଞାନୁସାରେ ଆପଣାମାନଙ୍କ ପରମେଶ୍ୱରଙ୍କ ସେବା କଲେ ଓ ଶୁଚି ହେଲେ, ଆଉ ଗାୟକମାନେ ଓ ଦ୍ୱାରପାଳମାନେ ସେହିପରି କଲେ। 
କାରଣ ପୂର୍ବକାଳେ ଦାଉଦ ଓ ଆସଫଙ୍କ ସମୟରେ ଗାୟକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦାର୍ଥକ ନାନା ଗୀତ ଥିଲା। 
ପୁଣି, ଯିରୁବ୍ବାବିଲ୍‍ ଓ ନିହିମୀୟାଙ୍କ ସମୟରେ ସମଗ୍ର ଇସ୍ରାଏଲ ପ୍ରତିଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କର ଓ ଦ୍ୱାରପାଳମାନଙ୍କର ଅଂଶ ଦେଲେ; ଆଉ ଲୋକମାନେ ଲେବୀୟମାନଙ୍କ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ ଓ ଲେବୀୟମାନେ ହାରୋଣ-ସନ୍ତାନଗଣ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ। 
