﻿ଗୀତସଂହିତା.
1.
ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କିଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ, 
ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ। 
ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସ୍ୱସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ; ପୁଣି, ସେ ଯାହା କରେ, ତାହା ସଫଳ ହେବ। 
ଦୁଷ୍ଟମାନେ ସେପ୍ରକାର ନୁହନ୍ତି; ମାତ୍ର ବାୟୁ ଦ୍ୱାରା ଚାଳିତ ତୁଷ ତୁଲ୍ୟ ଅଟନ୍ତି। 
ଏହେତୁ ଦୁଷ୍ଟମାନେ ବିଚାର ସ୍ଥାନରେ, ଅବା ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ। 
କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି; ମାତ୍ର ଦୁଷ୍ଟମାନଙ୍କ ପଥ ବିନଷ୍ଟ ହେବ। 
