﻿ଗୀତସଂହିତା.
54.
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍‍। “ଦାଉଦ କʼଣ ଆମ୍ଭମାନଙ୍କ ମଧ୍ୟରେ ଲୁଚିକରି ନାହିଁ?” ସୀଫୀୟମାନେ ଶାଉଲଙ୍କୁ ଏହି କଥା କହିବା ସମୟରେ ରଚିତ। ହେ ପରମେଶ୍ୱର, ତୁମ୍ଭ ନାମ ଦ୍ୱାରା ମୋତେ ପରିତ୍ରାଣ କର ଓ ତୁମ୍ଭ ପରାକ୍ରମରେ ମୋହର ବିଚାର କର। 
ହେ ପରମେଶ୍ୱର, ମୋହର ପ୍ରାର୍ଥନା ଶୁଣ; ମୋʼ ମୁଖର କଥାରେ କର୍ଣ୍ଣପାତ କର। 
କାରଣ ଅପରିଚିତ ଲୋକମାନେ ମୋʼ ବିରୁଦ୍ଧରେ ଉଠିଅଛନ୍ତି, ପୁଣି, ଦୁରନ୍ତ ଲୋକମାନେ ମୋʼ ପ୍ରାଣ ଖୋଜି ଅଛନ୍ତି। ସେମାନେ ପରମେଶ୍ୱରଙ୍କୁ ଆପଣା ସମ୍ମୁଖରେ ରଖି ନାହାନ୍ତି। ସେଲା 
ଦେଖ, ପରମେଶ୍ୱର ମୋହର ସାହାଯ୍ୟକାରୀ; ପ୍ରଭୁ ମୋʼ ପ୍ରାଣରକ୍ଷକ ଅଟନ୍ତି। 
ସେ ମୋʼ ଶତ୍ରୁମାନଙ୍କ ପ୍ରତି ମନ୍ଦତାର ଫଳ ଦେବେ; ତୁମ୍ଭେ ଆପଣା ସତ୍ୟତାରେ ସେମାନଙ୍କୁ ବିନାଶ କର। 
ମୁଁ ସ୍ୱେଚ୍ଛାଦତ୍ତ ଉପହାର ନେଇ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି; ହେ ସଦାପ୍ରଭୋ, ମୁଁ ତୁମ୍ଭ ନାମର ଧନ୍ୟବାଦ କରିବି, କାରଣ ତାହା ଉତ୍ତମ। 
ଯେହେତୁ ସେ ମୋତେ ସମସ୍ତ ବିପଦରୁ ଉଦ୍ଧାର କରିଅଛନ୍ତି; ଆଉ, ମୋʼ ଶତ୍ରୁଗଣ ଉପରେ ମୋର ବାଞ୍ଛା ସଫଳ ହେବାର ମୋହର ଚକ୍ଷୁ ଦେଖିଅଛି। 
