﻿ଗୀତସଂହିତା.
105.
ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀବର୍ଗ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ। 
ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; ତୁମ୍ଭେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟକ୍ରିୟା ବିଷୟରେ କଥୋପକଥନ କର। 
ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର; ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ। 
ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ପରାକ୍ରମର ଅନ୍ୱେଷଣ କର; ସଦାସର୍ବଦା ତାହାଙ୍କ ମୁଖ ଅନ୍ୱେଷଣ କର। 
ହେ ତାହାଙ୍କ ଦାସ ଅବ୍ରହାମର ବଂଶ, ହେ ତାହାଙ୍କର ମନୋନୀତ ଲୋକେ, ଯାକୁବର ସନ୍ତାନଗଣ, 
ତୁମ୍ଭେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ, ତାହାଙ୍କ ଅଦ୍ଭୁତ ଲକ୍ଷଣ ଓ ତାହାଙ୍କ ମୁଖନିର୍ଗତ ଶାସନସକଳ ସ୍ମରଣ କର। 
ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି; ତାହାଙ୍କର ଶାସନ ସମୁଦାୟ ପୃଥିବୀରେ ପ୍ରଚଳିତ। 
ସେ ଆପଣା ନିୟମ, ଅର୍ଥାତ୍‍, ଯେଉଁ ବାକ୍ୟ ସେ ସହସ୍ର ପୁରୁଷ-ପରମ୍ପରା ପ୍ରତି ଆଦେଶ କରିଥିଲେ, 
ଯେଉଁ ନିୟମ ସେ ଅବ୍ରହାମ ସଙ୍ଗେ କରିଥିଲେ ଓ ଆପଣାର ଯେଉଁ ଶପଥ ସେ ଇସ୍‌ହାକ ନିକଟରେ କରିଥିଲେ, ତାହା ସେ ସଦାକାଳ ସ୍ମରଣ କରିଅଛନ୍ତି। 
ପୁଣି, ସେ ଯାକୁବ ପ୍ରତି ତାହା ବିଧି ରୂପେ ଓ ଇସ୍ରାଏଲ ପ୍ରତି ଅନନ୍ତକାଳୀନ ନିୟମ ରୂପେ ଦୃଢ଼ କରି କହିଲେ, 
“ଆମ୍ଭେ ତୁମ୍ଭମାନଙ୍କର ନିର୍ଣ୍ଣୀତ ଅଧିକାର ରୂପେ ତୁମ୍ଭକୁ କିଣାନ ଦେଶ ଦେବା।” 
ସେହି ସମୟରେ ସେମାନେ ସଂଖ୍ୟାରେ ଅଳ୍ପ ଲୋକ ଓ ଅତି ଅଳ୍ପ, ପୁଣି ସେହି ଦେଶରେ ପ୍ରବାସୀ ଥିଲେ। 
ଆଉ, ସେମାନେ ଗୋଷ୍ଠୀରୁ ଗୋଷ୍ଠୀ ନିକଟରେ, ଏକ ରାଜ୍ୟରୁ ଅନ୍ୟ ବଂଶ ନିକଟରେ ଭ୍ରମଣ କଲେ। 
ସେ ସେମାନଙ୍କର ଉପଦ୍ରବ କରିବାକୁ କୌଣସି ମନୁଷ୍ୟକୁ ଅନୁମତି ଦେଲେ ନାହିଁ; ଆହୁରି, ସେ ସେମାନଙ୍କ ସକାଶେ ରାଜାଗଣକୁ ଅନୁଯୋଗ କରି କହିଲେ; 
“ଆମ୍ଭ ଅଭିଷିକ୍ତମାନଙ୍କୁ ସ୍ପର୍ଶ କର ନାହିଁ ଓ ଆମ୍ଭ ଭବିଷ୍ୟଦ୍‍ବକ୍ତାଗଣର କୌଣସି କ୍ଷତି କର ନାହିଁ।” 
ଏଥିଉତ୍ତାରେ ସେ ଦେଶରେ ଦୁର୍ଭିକ୍ଷ ଆଜ୍ଞା କଲେ; ସେ ଭକ୍ଷ୍ୟରୂପ ସମଗ୍ର ଯଷ୍ଟି ଭଗ୍ନ କଲେ। 
ସେ ସେମାନଙ୍କ ଆଗରେ ଏକ ମନୁଷ୍ୟକୁ ପଠାଇଲେ; ଯୋଷେଫ ଦାସ ହେବା ପାଇଁ ବିକ୍ରୀତ ହେଲା; 
ସେମାନେ ବେଡ଼ିରେ ତାହାର ଚରଣକୁ ଦୁଃଖ ଦେଲେ; ସେ ଲୌହ ଶୃଙ୍ଖଳରେ ରଖାଗଲା; 
ଶେଷରେ ତାହାର ବଚନ ସଫଳ ହେଲା; ସଦାପ୍ରଭୁଙ୍କ ବାକ୍ୟ ତାହାକୁ ପରୀକ୍ଷା କଲା। 
ତହୁଁ ରାଜା ଲୋକ ପଠାଇ ତାହାକୁ ମୁକ୍ତ କଲା; ନରପତି ତାହାକୁ ମୁକ୍ତ କରି ଛାଡ଼ିଦେଲା। 
ସେ ଆପଣାର ଅଧିପତିମାନଙ୍କୁ ଇଚ୍ଛାନୁସାରେ ବନ୍ଧନ କରିବା ପାଇଁ ଓ ଆପଣାର ମନ୍ତ୍ରୀମାନଙ୍କୁ ଜ୍ଞାନ ଶିକ୍ଷା ଦେବା ପାଇଁ; 
ତାହାକୁ ଆପଣା ଗୃହର ପ୍ରଭୁ ଓ ଆପଣା ସକଳ ସମ୍ପତ୍ତିର କର୍ତ୍ତା କଲା। 
ଇସ୍ରାଏଲ ମଧ୍ୟ ମିସର ଦେଶକୁ ଆସିଲା ଓ ଯାକୁବ ହାମ୍‍ ଦେଶରେ ପ୍ରବାସ କଲା। 
ଏଥିଉତ୍ତାରେ ସେ ଆପଣା ଲୋକମାନଙ୍କୁ ଅତିଶୟ ବୃଦ୍ଧି କଲେ ଓ ସେମାନଙ୍କ ବିପକ୍ଷଗଣ ଅପେକ୍ଷା ସେମାନଙ୍କୁ ବଳବାନ କଲେ। 
ସେ ଆପଣା ଲୋକମାନଙ୍କୁ ଘୃଣା କରିବା ପାଇଁ ଓ ଆପଣା ଦାସମାନଙ୍କ ସହିତ ଧୂର୍ତ୍ତ ବ୍ୟବହାର କରିବା ପାଇଁ ସେମାନଙ୍କ ମନପରିବର୍ତ୍ତନ କଲେ। 
ସେ ଆପଣା ସେବକ ମୋଶାଙ୍କୁ ଓ ଆପଣା ମନୋନୀତ ହାରୋଣଙ୍କୁ ପଠାଇଲେ। 
ସେମାନେ ଲୋକମାନଙ୍କ ମଧ୍ୟରେ ତାହାଙ୍କର ବିବିଧ ଲକ୍ଷଣ ଓ ହାମ୍‍ ଦେଶରେ ନାନା ଅଦ୍ଭୁତ କର୍ମ ପ୍ରକାଶ କଲେ। 
ସେ ଅନ୍ଧକାର ପଠାଇ ଦେଶକୁ ଅନ୍ଧକାରମୟ କଲେ; ଆଉ, ସେମାନେ ତାହାଙ୍କ ବାକ୍ୟର ବିରୁଦ୍ଧାଚରଣ କଲେ। 
ସେ ସେମାନଙ୍କ ଜଳସବୁ ରକ୍ତ କଲେ ଓ ମାଛସବୁ ମାରି ପକାଇଲେ। 
ସେମାନଙ୍କ ଦେଶ ଓ ସେମାନଙ୍କ ରାଜାଗଣର ଅନ୍ତଃପୁର ବେଙ୍ଗରେ ପରିପୂର୍ଣ୍ଣ ହେଲା। 
ସେ ଆଜ୍ଞା କରନ୍ତେ, ଦଂଶକର ଝିଙ୍କ ଓ ସେମାନଙ୍କ ସକଳ ଅଞ୍ଚଳରେ ଉକୁଣିଆ ପୋକ ଉପସ୍ଥିତ ହେଲେ। 
ସେ ସେମାନଙ୍କୁ ବୃଷ୍ଟି ବଦଳେ ଶିଳା ଓ ସେମାନଙ୍କ ଦେଶରେ ଶିଖାଯୁକ୍ତ ଅଗ୍ନି ଦେଲେ। 
ମଧ୍ୟ ସେ ସେମାନଙ୍କ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷସବୁ ଆଘାତ କଲେ ଓ ସେମାନଙ୍କ ସୀମାସ୍ଥିତ ବୃକ୍ଷସବୁ ଭାଙ୍ଗି ପକାଇଲେ। 
ସେ ଆଜ୍ଞା କରନ୍ତେ, ଅସଂଖ୍ୟ ପଙ୍ଗପାଳ ଓ ପତଙ୍ଗ ଉପସ୍ଥିତ ହେଲେ; 
ପୁଣି, ସେମାନଙ୍କ ଦେଶର ସବୁ ତୃଣ ଖାଇ ପକାଇଲେ ଓ ସେମାନଙ୍କ ଭୂମିର ଫଳସବୁ ଗ୍ରାସ କଲେ। 
ଆହୁରି, ସେ ସେମାନଙ୍କ ଦେଶରେ ସମସ୍ତ ପ୍ରଥମଜାତ, ସେମାନଙ୍କର ସମସ୍ତ ଶକ୍ତିର ପ୍ରଥମ ଫଳ ଆଘାତ କଲେ। 
ଆଉ, ସେ ରୂପା ଓ ସୁନା ସହିତ ସେମାନଙ୍କୁ ବାହାର କରି ଆଣିଲେ ଓ ତାହାଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ନ ଥିଲା। 
ସେମାନେ ପ୍ରସ୍ଥାନ କରନ୍ତେ, ମିସର ଆନନ୍ଦିତ ହେଲା; କାରଣ ସେମାନଙ୍କ ବିଷୟକ ଭୟ ସେମାନଙ୍କ ଉପରେ ପଡ଼ିଥିଲା। 
ସେ ଚନ୍ଦ୍ରାତପ ନିମନ୍ତେ ମେଘ ବିସ୍ତାର କଲେ ଓ ରାତ୍ରିରେ ଆଲୁଅ ଦେବା ପାଇଁ ଅଗ୍ନି ଦେଲେ। 
ସେମାନେ ମାଗନ୍ତେ, ସେ ଭାଟୋଇ ପକ୍ଷୀମାନଙ୍କୁ ଆଣିଲେ ଓ ସ୍ୱର୍ଗୀୟ ଭକ୍ଷ୍ୟରେ ସେମାନଙ୍କୁ ପରିତୃପ୍ତ କଲେ। 
ସେ ଶୈଳକୁ ଆଘାତ କରନ୍ତେ, ଜଳ ନିର୍ଗତ ହେଲା; ତାହା ଶୁଷ୍କ ଭୂମିରେ ନଦୀ ତୁଲ୍ୟ ପ୍ରବାହିତ ହେଲା। 
କାରଣ ସେ ଆପଣା ପବିତ୍ର ବାକ୍ୟ ଓ ଆପଣା ଦାସ ଅବ୍ରହାମଙ୍କୁ ସ୍ମରଣ କଲେ। 
ପୁଣି, ସେ ଆପଣା ଲୋକମାନଙ୍କୁ ଆନନ୍ଦ ସହିତ ଓ ଆପଣା ମନୋନୀତମାନଙ୍କୁ ଗାୟନ ସହିତ ବାହାର କରି ଆଣିଲେ। 
ଯେପରି ସେମାନେ ତାହାଙ୍କ ବିଧିସବୁ ରକ୍ଷା କରିବେ ଓ ତାହାଙ୍କର ବ୍ୟବସ୍ଥାସବୁ ପାଳନ କରିବେ, 
ଏଥିପାଇଁ ସେ ଗୋଷ୍ଠୀୟବର୍ଗର ଦେଶସବୁ ସେମାନଙ୍କୁ ଦେଲେ ଓ ସେମାନେ ଜନବୃନ୍ଦର ପରିଶ୍ରମର ଫଳାଧିକାରୀ ହେଲେ; ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। 
