﻿ଗୀତସଂହିତା.
114.
ଯେତେବେଳେ ଇସ୍ରାଏଲ ମିସରରୁ ଓ ଯାକୁବ ବଂଶ ଅନ୍ୟ ଭାଷାବାଦୀ ଲୋକଙ୍କ ମଧ୍ୟରୁ ବାହାରିଲେ; 
ସେତେବେଳେ ଯିହୁଦା ତାହାଙ୍କ ଧର୍ମଧାମ ଓ ଇସ୍ରାଏଲ ତାହାଙ୍କ ରାଜ୍ୟ ହେଲା, 
ସମୁଦ୍ର ତାହା ଦେଖି ପଳାଇଲା; ଯର୍ଦ୍ଦନ ଉଜାଣି ବହିଲା। 
ପର୍ବତଗଣ ମେଷ ପରି ଓ ଉପପର୍ବତଗଣ ମେଷଶାବକ ପରି ଡିଆଁ ମାରିଲେ। 
ତୁମ୍ଭର କʼଣ ହେଲା ଯେ, ହେ ସମୁଦ୍ର, ତୁମ୍ଭେ ପଳାଉଅଛ? ହେ ଯର୍ଦ୍ଦନ, ତୁମ୍ଭେ ଉଜାଣି ବହୁଅଛ? 
ହେ ପର୍ବତଗଣ, ତୁମ୍ଭେମାନେ ମେଷ ପରି, ହେ ଉପପର୍ବତଗଣ, ତୁମ୍ଭେମାନେ ମେଷଶାବକ ପରି ଡିଆଁ ମାରୁଅଛ? 
ହେ ପୃଥିବୀ, ତୁମ୍ଭେ ପ୍ରଭୁଙ୍କ ଛାମୁରେ, ଯାକୁବର ପରମେଶ୍ୱରଙ୍କ ଛାମୁରେ କମ୍ପିତ ହୁଅ; 
ସେ ଶୈଳକୁ ଜଳାଶୟ, ଚକ୍‍ମକି ପ୍ରସ୍ତରକୁ ନିର୍ଝର କଲେ। 
