﻿ଗୀତସଂହିତା.
141.
ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; ମୋʼ ପକ୍ଷରେ ସତ୍ୱର ହୁଅ; ମୁଁ ଡାକିବା ବେଳେ ମୋʼ ରବରେ କର୍ଣ୍ଣ ଦିଅ। 
ସୁଗନ୍ଧି ଧୂପ ପରି ମୋʼ ପ୍ରାର୍ଥନା, ସନ୍ଧ୍ୟାକାଳୀନ ନୈବେଦ୍ୟ ପରି ମୋହର ହସ୍ତ ଉତ୍ତୋଳନ ତୁମ୍ଭ ଛାମୁରେ ଉପସ୍ଥିତ ହେଉ। 
ହେ ସଦାପ୍ରଭୋ, ମୋʼ ମୁଖ ଆଗରେ ପ୍ରହରୀ ନିଯୁକ୍ତ କର; ମୋʼ ଓଷ୍ଠାଧରର କବାଟ ରକ୍ଷା କର। 
ଅଧର୍ମାଚାରୀ ଲୋକମାନଙ୍କ ସଙ୍ଗେ ଦୁଷ୍ଟ କ୍ରିୟାରେ ନିଯୁକ୍ତ ହେବା ପାଇଁ କୌଣସି ମନ୍ଦ ବିଷୟରେ ମୋʼ ଚିତ୍ତକୁ ପ୍ରବର୍ତ୍ତାଅ ନାହିଁ ଓ ସେମାନଙ୍କ ସୁସ୍ୱାଦୁ ଭକ୍ଷ୍ୟ ଭୋଜନ କରିବାକୁ ମୋତେ ଦିଅ ନାହିଁ। 
ଧାର୍ମିକ ଲୋକ ମୋତେ ପ୍ରହାର କରୁ, ତାହା ମୋʼ ପ୍ରତି ଦୟା ହେବ ଓ ସେ ମୋତେ ଅନୁଯୋଗ କରୁ, ତାହା ମସ୍ତକରେ ତୈଳ ସ୍ୱରୂପ ହେବ; ମୋʼ ମସ୍ତକ ତାହା ଅଗ୍ରାହ୍ୟ ନ କରୁ; ସେମାନଙ୍କର ନାନା ଦୁଷ୍ଟତା ସମୟରେ ମୋହର ପ୍ରାର୍ଥନା ଚଳୁଥିବ। 
ସେମାନଙ୍କ ବିଚାରକର୍ତ୍ତାମାନେ ଶୈଳ ପାର୍ଶ୍ୱରେ ନିକ୍ଷିପ୍ତ ହୋଇଅଛନ୍ତି; ମୋହର ବାକ୍ୟ ମଧୁର, ଏଣୁ ସେମାନେ ତାହା ଶୁଣିବେ। 
କେହି ଭୂମି ଚାଷ ଓ ବିଦୀର୍ଣ୍ଣ କରିବା ବେଳେ ଯେପରି, ସେପରି କବର ମୁଖରେ ଆମ୍ଭମାନଙ୍କ ଅସ୍ଥିସବୁ ଛିନ୍ନଭିନ୍ନ ହୋଇଅଛି। 
କାରଣ ହେ ପ୍ରଭୋ ସଦାପ୍ରଭୋ, ମୋʼ ଦୃଷ୍ଟି ତୁମ୍ଭଆଡ଼େ ଅଛି; ମୁଁ ତୁମ୍ଭଠାରେ ଭରସା ରଖିଅଛି; ମୋʼ ପ୍ରାଣକୁ ଅନାଥ କରି ତ୍ୟାଗ କର ନାହିଁ। 
ମୋʼ ନିମନ୍ତେ ସେମାନଙ୍କ ପାତିତ ଫାନ୍ଦରୁ ଓ ଅଧର୍ମାଚାରୀମାନଙ୍କ ଯନ୍ତାରୁ ମୋତେ ରକ୍ଷା କର। 
ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ, ସେହି ଅବସରରେ ମୁଁ ରକ୍ଷା ପାଏ। 
