﻿ଗୀତସଂହିତା.
144.
ଦାଉଦଙ୍କର ଗୀତ। ମୋହର ଶୈଳ ସ୍ୱରୂପ ସଦାପ୍ରଭୁ ଧନ୍ୟ ହେଉନ୍ତୁ, ସେ ମୋʼ ହସ୍ତକୁ ଯୁଦ୍ଧ ଶିଖାନ୍ତି ଓ ମୋʼ ଅଙ୍ଗୁଳିକୁ ସଂଗ୍ରାମ ଶିଖାନ୍ତି। 
ସେ ମୋହର ସ୍ନେହପୂର୍ଣ୍ଣ କରୁଣା ଓ ମୋହର ଗଡ଼, ମୋହର ଉଚ୍ଚ ଦୁର୍ଗ ଓ ମୋହର ଉଦ୍ଧାରକର୍ତ୍ତା, ମୋହର ଢାଲ ଓ ସେ ମୋହର ଆଶ୍ରୟଭୂମି; ସେ ଗୋଷ୍ଠୀସମୂହକୁ ମୋʼ ପଦ ତଳେ ବଶୀଭୂତ କରନ୍ତି। 
ହେ ସଦାପ୍ରଭୋ, ମନୁଷ୍ୟ କିଏ ଯେ, ତୁମ୍ଭେ ତାହାର ପରିଚୟ ନିଅ? ସେ ଅବା କିଏ ଯେ, ତୁମ୍ଭେ ତାହାକୁ ଗଣ୍ୟ କର? 
ମନୁଷ୍ୟ ଅସାର ବସ୍ତୁ ତୁଲ୍ୟ; ତାହାର ଦିନସବୁ ବହିଯିବା ଛାୟା ତୁଲ୍ୟ। 
ହେ ସଦାପ୍ରଭୋ, ଆପଣା ଗଗନମଣ୍ଡଳ ନୁଆଁଇ ତଳକୁ ଆସ; ପର୍ବତଗଣକୁ ସ୍ପର୍ଶ କର, ତହିଁରେ ସେମାନେ ଧୂମ ନିର୍ଗତ କରିବେ। 
ବିଜୁଳି ନିକ୍ଷେପ କରି ସେମାନଙ୍କୁ ଛିନ୍ନଭିନ୍ନ କର; ଆପଣା ତୀର ମାରି ସେମାନଙ୍କୁ ପରାସ୍ତ କର। 
ଊର୍ଦ୍ଧ୍ୱରୁ ଆପଣା ହସ୍ତ ବଢ଼ାଅ; ମୋତେ ରକ୍ଷା କର, ମହାଜଳରାଶିରୁ ମୋତେ ଉଦ୍ଧାର କର; ପୁଣି, ଯେଉଁମାନଙ୍କ ମୁଖ ଅସାର କଥା କହଇ 
ଓ ଯେଉଁମାନଙ୍କ ଦକ୍ଷିଣ ହସ୍ତ ଅସତ୍ୟର ଦକ୍ଷିଣ ହସ୍ତ, ଏପରି ବିଦେଶୀୟମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର। 
ହେ ପରମେଶ୍ୱର, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କରିବି; ଦଶତାର-ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି। 
ସେ ରାଜାମାନଙ୍କୁ ପରିତ୍ରାଣ ପ୍ରଦାନ କରନ୍ତି; ସେ ଆପଣା ଦାସ ଦାଉଦଙ୍କୁ କ୍ଷତିକାରକ ଖଡ୍ଗରୁ ରକ୍ଷା କରନ୍ତି। 
ମୋତେ ରକ୍ଷା କର ଓ ଯେଉଁମାନଙ୍କର ମୁଖ ଅସାର କଥା କହଇ, ପୁଣି, ଯେଉଁମାନଙ୍କ ଦକ୍ଷିଣ ହସ୍ତ ଅସତ୍ୟର ଦକ୍ଷିଣ ହସ୍ତ, ଏପରି ବିଦେଶୀୟମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର। 
ଯେତେବେଳେ ଆମ୍ଭମାନଙ୍କ ପୁତ୍ରଗଣ ଯୌବନାବସ୍ଥାରେ ବୃକ୍ଷର ଚାରା ତୁଲ୍ୟ ବର୍ଦ୍ଧନଶୀଳ ହେବେ ଓ ଆମ୍ଭମାନଙ୍କ କନ୍ୟାଗଣ ଅଟ୍ଟାଳିକାର ଗଠନାନୁସାରେ ଖୋଦିତ କୋଣ-ପ୍ରସ୍ତର ତୁଲ୍ୟ ହେବେ; 
ଆମ୍ଭମାନଙ୍କ ଭଣ୍ଡାରସବୁ ପରିପୂର୍ଣ୍ଣ; ସର୍ବପ୍ରକାର ଦ୍ରବ୍ୟବିଶିଷ୍ଟ ହେବ; ଆମ୍ଭମାନଙ୍କ ମେଷଗଣ ଆମ୍ଭମାନଙ୍କ କ୍ଷେତ୍ରରେ ସହସ୍ର ସହସ୍ର ଓ ଅୟୁତ ଅୟୁତ ଶାବକ ପ୍ରସବ କରିବେ; 
ଆମ୍ଭମାନଙ୍କ ବଳଦସବୁ ଉତ୍ତମ ରୂପେ ବୋଝାଇ ହେବେ; କୌଣସି ଭଗ୍ନଦଶା ଓ ବହିର୍ଗମନ ଘଟିବ ନାହିଁ, ପୁଣି, ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ହେବ ନାହିଁ; 
ଏହିପରି ଅବସ୍ଥାପନ୍ନ ଗୋଷ୍ଠୀ ଧନ୍ୟ; ହଁ, ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ! 
