﻿ଲୂକ.
17.
ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର; 
ଏହି ସାନ ପିଲାମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହେବା ଅପେକ୍ଷା ବରଂ ତାହା ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ପକାଇ ଦିଆଯାଇଥିଲେ ତାହା ପାଇଁ ଭଲ ହୋଇଥାଆନ୍ତା। 
ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ। ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ ସେ ଯଦି ମନ-ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ। 
ପୁଣି, ଯଦି ସେ ଦିନ ଭିତରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ ଓ ସାତ ଥର ତୁମ୍ଭ ନିକଟକୁ ଫେରିଆସି ମୁଁ ମନ-ପରିବର୍ତ୍ତନ କରୁଅଛି ବୋଲି କହେ, ତେବେ ତାହାକୁ କ୍ଷମା କର।” 
ସେଥିରେ ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ। 
ପ୍ରଭୁ କହିଲେ, “ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ତୁତକୋଳି ଗଛକୁ ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହୁଅ ବୋଲି କହିଲେ, ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ।” 
“କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କିଏ ଅଛି, ଯାହାର ଦାସ ହଳ ବୁଲାଇ କିମ୍ବା ପଶୁ ଚରାଇ କ୍ଷେତରୁ ଆସିଲେ ସେ ତାହାକୁ କହିବ, ଏହିକ୍ଷଣି ଆସି ଖାଇ ବସ? 
ସେ କଅଣ ବରଂ ତାହାକୁ କହିବ ନାହିଁ, ମୋହର ଖାଇବାର ଠିକ୍ କର, ପୁଣି, ମୁଁ ଖିଆପିଆ ଶେଷ ନ କରିବା ପର୍ଯ୍ୟନ୍ତ ଅଣ୍ଟା ବାନ୍ଧି ମୋହର ସେବା କର, ତାହା ପରେ ତୁ ଖିଆପିଆ କରିବୁ? 
ଦାସ ଆଦେଶ ଅନୁସାରେ କାମ କରିବାରୁ ସେ କଅଣ ତାହାକୁ ଧନ୍ୟବାଦ ଦିଏ? 
ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆଦେଶ ଅନୁସାରେ ସବୁ କାମ କଲା ପରେ କୁହ, ‘ଆମ୍ଭେମାନେ ଅକର୍ମଣ୍ୟ ଦାସ, ଯାହା କର୍ତ୍ତବ୍ୟ, କେବଳ ତାହା କରିଅଛୁ।’” 
ସେ ଯିରୂଶାଲମ ସହରକୁ ଯାତ୍ରା କରିବା ସମୟରେ ଶମିରୋଣ ଓ ଗାଲିଲୀ ମଧ୍ୟ ଦେଇ ଯାଉଥିଲେ। 
ଆଉ ଯୀଶୁ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ ଦଶ ଜଣ କୁଷ୍ଠରୋଗୀ ତାହାଙ୍କ ସହିତ ସାକ୍ଷାତ କଲେ; 
ସେମାନେ ଦୂରରେ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ହେ ଗୁରୁ, ଆମ୍ଭମାନଙ୍କୁ ଦୟା କରନ୍ତୁ। 
ପୁଣି, ସେ ସେମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ନିଜକୁ ଯାଜକମାନଙ୍କୁ ଦେଖାଅ।” ଆଉ ସେମାନେ ଯାଉ ଯାଉ ଶୁଚି ହେଲେ। 
କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହୋଇଥିବା ଦେଖି ଉଚ୍ଚସ୍ୱରରେ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ ଫେରିଆସି, 
ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା; ସେ ଜଣେ ଶମିରୋଣୀୟ ଲୋକ। 
ସେଥିରେ ଯୀଶୁ ଉତ୍ତର ଦେଲେ, “ଦଶ ଜଣ କଅଣ ଶୁଚି ହେଲେ ନାହିଁ? 
ତେବେ ଆଉ ନଅ ଜଣ କାହାନ୍ତି? ଈଶ୍ବରଙ୍କୁ ଗୌରବ ଦେବା ନିମନ୍ତେ ଏହି ଅଣଯିହୁଦୀ ଲୋକଟି ଛଡ଼ା କଅଣ ଆଉ କେହି ଫେରିଆସି ନାହିଁ?” 
ପୁଣି, ସେ ତାହାକୁ କହିଲେ, “ଉଠିଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।” 
ଈଶ୍ବରଙ୍କ ରାଜ୍ୟ କେବେ ଆସୁଅଛି, ଏ ବିଷୟରେ ଫାରୂଶୀମାନେ ତାହାଙ୍କୁ ପଚାରିବାରୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବରଙ୍କ ରାଜ୍ୟ ଦୃଶ୍ୟ ଭାବରେ ଆସେ ନାହିଁ; 
କିମ୍ବା ଦେଖ, ଏଠାରେ ବା ସେଠାରେ ବୋଲି ଲୋକ କହିବେ ନାହିଁ; କାରଣ ଦେଖ, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି।” 
କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, “ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖିବ ନାହିଁ। 
ଦେଖ, ଏଠାରେ ବା ସେଠାରେ ଲୋକେ ତୁମ୍ଭମାନଙ୍କୁ କହିବେ; କିନ୍ତୁ ତୁମ୍ଭେମାନେ ଯାଅ ନାହିଁ କିମ୍ବା ସେମାନଙ୍କର ଅନୁସରଣ କର ନାହିଁ। 
କାରଣ ବିଜୁଳି ମାରି ଯେପରି ଆକାଶରୁ ଗୋଟିଏ ପାଖରୁ ଆରପାଖ ପର୍ଯ୍ୟନ୍ତ ଆଲୁଅ ଦିଏ, ମନୁଷ୍ୟପୁତ୍ର ଆପଣା ଦିନରେ ସେହିପରି ହେବେ। 
ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ୱାରା ଅଗ୍ରାହ୍ୟ ହେବାକୁ ହେବ। 
ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ; 
ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକମାନେ ଭୋଜନପାନ ଓ ବିବାହ କରିବା ଓ ବିବାହ ହେବାରେ ବ୍ୟସ୍ତ ଥିଲେ, ପୁଣି, ଜଳପ୍ଲାବନ ଆସି ସମସ୍ତଙ୍କୁ ବିନାଶ କଲା। 
ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା, ଲୋକମାନେ ଖିଆପିଆ, କିଣାବିକା, ଗଛ ଲଗାଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ, 
କିନ୍ତୁ ଲୋଟ ସଦୋମରୁ ବାହାରିଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ଆସି ସମସ୍ତଙ୍କୁ ବିନାଶ କଲା। 
ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ। 
ସେହି ଦିନ ଯେ ଛାତ ଉପରେ ଥିବ, ସେ ଘର ଭିତରେ ଥିବା ଆପଣା ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; ସେହିପରି ଯେ କ୍ଷେତରେ ଥିବ, ସେ ଫେରି ନ ଯାଉ। 
ଲୋଟଙ୍କ ସ୍ତ୍ରୀଙ୍କର କଥା ମନେ ପକାଅ। 
ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେ କେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ। 
ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ରାତିରେ ଦୁଇ ଜଣ ଗୋଟିଏ ଖଟରେ ଶୋଇଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ। 
ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ। 
ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।” 
ସେଥିରେ ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, କେଉଁଠାରେ? ସେ ସେମାନଙ୍କୁ କହିଲେ, “ଯେଉଁଠାରେ ଶବ, ସେହିଠାରେ ଶାଗୁଣାଗୁଡ଼ାକ ମଧ୍ୟ ଏକାଠି ହେବେ।” 
