﻿ଯୋହନ.
12.
ଇତିମଧ୍ୟରେ ଯୀଶୁ ନିସ୍ତାର ପର୍ବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଆସିଲେ; ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ସେ ସେହି ସ୍ଥାନରେ ଥିଲେ। 
ତେଣୁ ସେମାନେ ତାହାଙ୍କ ନିମନ୍ତେ ସେହି ସ୍ଥାନରେ ଗୋଟିଏ ରାତ୍ରିଭୋଜ ପ୍ରସ୍ତୁତ କଲେ; ମାର୍ଥା ପରିଚର୍ଯ୍ୟା କରୁଥିଲେ, ଆଉ ଯେଉଁମାନେ ତାହାଙ୍କ ସହିତ ଭୋଜନରେ ବସିଲେ, ଲାଜାର ସେମାନଙ୍କ ମଧ୍ୟରୁ ଜଣେ ଥିଲେ। 
ସେତେବେଳେ ମରୀୟମ ଅଧ ସେର ଅତି ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ସୁଗନ୍ଧି ତୈଳ ଘେନି ଯୀଶୁଙ୍କ ପାଦରେ ତାହା ଲଗାଇ ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଆଉ ତୈଳର ସୁବାସରେ ଘରଟି ମହକିଗଲା। 
କିନ୍ତୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ଯେଉଁ ଶିଷ୍ୟ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା, ସେ କହିଲା, 
ଏହି ତୈଳ ତିନିଶହ ଦିନର ମଜୁରୀ ସମାନ ମୂଲ୍ୟରେ ବିକ୍ରୟ କରାଯାଇ କାହିଁକି ଦରିଦ୍ରମାନଙ୍କୁ ଦିଆ ନ ଗଲା? 
ସେ ଯେ ଦରିଦ୍ରମାନଙ୍କ ନିମନ୍ତେ ଚିନ୍ତା କରୁଥିଲା ବୋଲି ଏହା କହିଲା, ତାହା ନୁହେଁ, କିନ୍ତୁ ସେ ଜଣେ ଚୋର, ଆଉ ତାହା ନିକଟରେ ଟଙ୍କାଥଳୀ ଥିବାରୁ, ସେଥିରେ ଯାହା ଯାହା ରଖାଯାଉଥିଲା, ତାହା ସେ ଚୋରି କରି ନେଇଯାଉଥିଲା। 
ସେଥିରେ ଯୀଶୁ କହିଲେ, “ଏହାକୁ ଛାଡ଼ିଦିଅ, ଯେପରି ମୋହର ସମାଧି ଦିନ ନିମନ୍ତେ ସେ ଏହା ରଖି ପାରେ। 
ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି।” 
ଇତିମଧ୍ୟରେ ବହୁସଂଖ୍ୟକ ଯିହୁଦୀ ଲୋକ ସେ ସେଠାରେ ଅଛନ୍ତି ବୋଲି ଜାଣି ପାରି କେବଳ ଯୀଶୁଙ୍କ ସକାଶେ ନୁହେଁ, ମାତ୍ର ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ତାହାଙ୍କୁ ଦେଖିବା ନିମନ୍ତେ ମଧ୍ୟ ଆସିଲେ। 
କିନ୍ତୁ ଲାଜାରଙ୍କୁ ମଧ୍ୟ ବଧ କରିବା ନିମନ୍ତେ ପ୍ରଧାନ ଯାଜକମାନେ ମନ୍ତ୍ରଣା କଲେ, 
କାରଣ ତାହାଙ୍କ ଯୋଗୁଁ ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଯାଇ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ। 
ତହିଁ ଆରଦିନ ପର୍ବକୁ ଆସିଥିବା ବହୁସଂଖ୍ୟକ ଲୋକ ଯୀଶୁ ଯିରୂଶାଲମ ସହରକୁ ଆସୁଅଛନ୍ତି ବୋଲି ଶୁଣି 
ଖଜୁରୀ ବାହୁଙ୍ଗା ଘେନି ତାହାଙ୍କୁ ଭେଟିବା ନିମନ୍ତେ ବାହାରିଗଲେ ଓ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, “ହୋଶାନ୍ନା।” “ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଧନ୍ୟ ଇସ୍ରାଏଲର ରାଜା।” 
ଆଉ, ଯୀଶୁ ଗୋଟିଏ ଗର୍ଦ୍ଦଭଶାବକ ପାଇ ତାହା ଉପରେ ଆରୋହଣ କଲେ, ଯେପରି ଲେଖାଅଛି, 
ଆଗୋ ସିୟୋନର କନ୍ୟେ, ଭୟ କର ନାହିଁ; ଦେଖ, ତୋର ରାଜା ଆସୁଅଛନ୍ତି, ସେ ଗର୍ଦ୍ଦଭଶାବକ ଉପରେ ଆରୋହଣ କରି ଆସୁଅଛନ୍ତି। 
ତାହାଙ୍କ ଶିଷ୍ୟମାନେ ପ୍ରଥମେ ଏହି ସମସ୍ତ ବିଷୟ ବୁଝିଲେ ନାହିଁ, କିନ୍ତୁ ଯୀଶୁ ମହିମାନ୍ୱିତ ହେଲା ଉତ୍ତାରେ ଏସମସ୍ତ ବିଷୟ ଯେ ତାହାଙ୍କ ସମ୍ବନ୍ଧରେ ଲେଖାଯାଇଥିଲା, ପୁଣି, ତାହାଙ୍କ ପ୍ରତି ସେମାନେ ଯେ ଏହିସବୁ କରିଥିଲେ, ତାହା ସେମାନଙ୍କ ମନରେ ପଡ଼ିଲା। 
ଆଉ, ସେ ଲାଜାରଙ୍କୁ ସମାଧିରୁ ଡାକି ମୃତମାନଙ୍କ ମଧ୍ୟରୁ ଉଠାଇବା ସମୟରେ ଯେଉଁ ଲୋକସମୂହ ତାହାଙ୍କ ସହିତ ଥିଲେ, ସେମାନେ ସାକ୍ଷ୍ୟ ଦେବାକୁ ଲାଗିଲେ। 
ଏହି କାରଣରୁ ମଧ୍ୟ ଲୋକସମୂହ ତାହାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ, ଯେଣୁ ସେ ଏହି ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି ବୋଲି ସେମାନେ ଶୁଣିଥିଲେ। 
ସେଥିରେ ଫାରୂଶୀମାନେ ପରସ୍ପର କୁହାକୋହି ହେଲେ, ଦେଖୁଅଛ ତ, ତୁମ୍ଭମାନଙ୍କ ସମସ୍ତ ଚେଷ୍ଟା ବିଫଳ ହେଉଅଛି; ଦେଖ, ଜଗତଟାଯାକ ତାହାର ପଛରେ ଗଲେଣି। 
ପର୍ବ ସମୟରେ ଉପାସନା କରିବା ନିମନ୍ତେ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେକ ଗ୍ରୀକ୍‍ ଲୋକ ଥିଲେ। 
ସେମାନେ ଗାଲିଲୀସ୍ଥ ବେଥ୍‌ସାଇଦାନିବାସୀ ଫିଲିପ୍ପଙ୍କ ନିକଟକୁ ଆସି ତାହାଙ୍କୁ ଅନୁରୋଧ କରି କହିଲେ, ମହାଶୟ, ଯୀଶୁଙ୍କୁ ଦର୍ଶନ କରିବା ନିମନ୍ତେ ଆମ୍ଭମାନଙ୍କର ଇଚ୍ଛା। 
ଫିଲିପ୍ପ ଯାଇ ଆନ୍ଦ୍ରିୟଙ୍କୁ କହିଲେ, ପୁଣି, ଆନ୍ଦ୍ରିୟ ଓ ଫିଲିପ୍ପ ଯାଇ ଯୀଶୁଙ୍କୁ କହିଲେ। 
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମନୁଷ୍ୟପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ। 
ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଗହମବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ, ତାହାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ, ତାହାହେଲେ ବହୁତ ଫଳ ଫଳେ। 
ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ। 
କେହି ଯେବେ ମୋହର ସେବକ, ତେବେ ସେ ମୋହର ଅନୁଗମନ କରୁ; ଆଉ, ମୁଁ ଯେଉଁଠାରେ ଥାଏ, ମୋହର ସେବକ ମଧ୍ୟ ସେହିଠାରେ ରହିବ; କେହି ଯେବେ ମୋହର ସେବା କରେ, ତେବେ ପିତା ତାହାକୁ ସମ୍ମାନ ଦେବେ।” 
“ଏବେ ମୋହର ପ୍ରାଣ ଉଦ୍‌ବିଗ୍ନ ହୋଇଅଛି, ଆଉ ମୁଁ କଅଣ କହିବି? ପିତଃ, ମୋତେ ଏହି ସମୟଠାରୁ ରକ୍ଷା କର? କିନ୍ତୁ ଏଥିସକାଶେ ତ ମୁଁ ଏହି ସମୟ ମଧ୍ୟକୁ ଆସିଅଛି। 
ପିତଃ, ଆପଣା ନାମ ମହିମାନ୍ୱିତ କର।” ସେଥିରେ ଆକାଶରୁ ଏହି ବାଣୀ ହେଲା, ଆମ୍ଭେ ତାହା ମହିମାନ୍ୱିତ କରିଅଛୁ, ଆଉ ପୁନର୍ବାର ମହିମାନ୍ୱିତ କରିବୁ। 
ତେଣୁ ପାଖରେ ଠିଆ ହୋଇଥିବା ଲୋକସମୂହ ଏହା ଶୁଣି ମେଘଗର୍ଜ୍ଜନ ହେଲା ବୋଲି କହିଲେ; ଅନ୍ୟମାନେ କହିଲେ, ଜଣେ ଦୂତ ଏହାଙ୍କୁ କଥା କହିଅଛନ୍ତି। 
ଯୀଶୁ ଉତ୍ତର ଦେଲେ, “ମୋʼ ନିମନ୍ତେ ଏହି ବାଣୀ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କ ନିମନ୍ତେ ହୋଇଅଛି। 
ଏବେ ଏହି ଜଗତର ବିଚାର ଉପସ୍ଥିତ; ଏବେ ଏହି ଜଗତର ଅଧିପତିକୁ ବାହାରେ ପକାଯିବ। 
ଆଉ, ମୁଁ ଯଦି ପୃଥିବୀରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବି, ତାହାହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି। 
ସେ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ଏହା କହିଲେ।” 
ସେଥିରେ ଲୋକସମୂହ ତାହାଙ୍କୁ ଉତ୍ତର ଦେଲେ, ଖ୍ରୀଷ୍ଟ ଅନନ୍ତକାଳ ରହିବେ ବୋଲି ଆମ୍ଭେମାନେ ବ୍ୟବସ୍ଥାରୁ ଶୁଣିଅଛୁ, ତେବେ ମନୁଷ୍ୟପୁତ୍ର ଅବଶ୍ୟ ଊର୍ଦ୍ଧ୍ୱକୁ ଉତ୍ଥିତ ହେବେ ବୋଲି ତୁମ୍ଭେ କିପରି କହୁଅଛ? ଏହି ମନୁଷ୍ୟପୁତ୍ର କିଏ? 
ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତିଃ ତୁମ୍ଭମାନଙ୍କ ମଧ୍ୟରେ ଅଛି। ଅନ୍ଧକାର ଯେପରି ତୁମ୍ଭମାନଙ୍କୁ ଗ୍ରାସ ନ କରେ, ଏଥିନିମନ୍ତେ ତୁମ୍ଭମାନଙ୍କ ନିକଟରେ ଜ୍ୟୋତିଃ ଥାଉ ଥାଉ ଗମନାଗମନ କର; ଯେ ଅନ୍ଧକାରରେ ଗମନାଗମନ କରେ, ସେ କେଉଁଠାକୁ ଯାଉଅଛି, ତାହା ଜାଣେ ନାହିଁ। 
ତୁମ୍ଭେମାନେ ଯେପରି ଜ୍ୟୋତିଃର ସନ୍ତାନ ହୁଅ, ସେଥିପାଇଁ ଜ୍ୟୋତିଃ ତୁମ୍ଭମାନଙ୍କ ନିକଟରେ ଥାଉ ଥାଉ ଜ୍ୟୋତିଃରେ ବିଶ୍ୱାସ କର।” ଯୀଶୁ ଏହିସବୁ କଥା କହି ପ୍ରସ୍ଥାନ କଲେ ଓ ସେମାନଙ୍କଠାରୁ ଗୋପନରେ ରହିଲେ। 
କିନ୍ତୁ ଯଦ୍ୟପି ସେ ସେମାନଙ୍କ ସାକ୍ଷାତରେ ଏତେ ଆଶ୍ଚର୍ଯ୍ୟକର୍ମ କରିଥିଲେ, ତଥାପି ସେମାନେ ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ, 
ଯେପରି ଭାବବାଦୀ ଯିଶାଇୟଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, “ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି? ଆଉ ପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି?” 
ଏହି କାରଣରୁ ସେମାନେ ବିଶ୍ୱାସ କରିପାରୁ ନ ଥିଲେ, ଯେଣୁ ଯିଶାଇୟ ପୁନଶ୍ଚ କହିଅଛନ୍ତି, 
“ସେ ସେମାନଙ୍କର ଚକ୍ଷୁ ଅନ୍ଧ କରିଅଛନ୍ତି, ଆଉ ସେମାନଙ୍କ ହୃଦୟ ଜଡ଼ କରିଅଛନ୍ତି, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ।” 
ଯିଶାଇୟ ଏହିସବୁ କହିଲେ, କାରଣ ସେ ତାହାଙ୍କର ମହିମା ଦେଖିଲେ ଓ ତାହାଙ୍କ ବିଷୟରେ କଥା କହିଲେ। 
ତଥାପି ଯିହୁଦୀ ନେତାମାନଙ୍କ ମଧ୍ୟରୁ ସୁଦ୍ଧା ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ, କିନ୍ତୁ କାଳେ ସେମାନେ ସମାଜଗୃହରୁ ବାହାର ହୁଅନ୍ତି, ଏଥିପାଇଁ ଫାରୂଶୀମାନଙ୍କ ହେତୁ ତାହା ସ୍ୱୀକାର କରୁ ନ ଥିଲେ, 
କାରଣ ସେମାନେ ଈଶ୍ବରଙ୍କଠାରୁ ଗୌରବ ଅପେକ୍ଷା ବରଂ ମନୁଷ୍ୟମାନଙ୍କଠାରୁ ଗୌରବ ଭଲ ପାଇଲେ। 
ଯୀଶୁ ଉଚ୍ଚସ୍ୱରରେ କହିଲେ, “ଯେ ମୋʼ ଠାରେ ବିଶ୍ୱାସ କରେ, ସେ କେବଳ ମୋʼ ଠାରେ ବିଶ୍ୱାସ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କଠାରେ ବିଶ୍ୱାସ କରେ; 
ଆଉ, ଯେ ମୋତେ ଦର୍ଶନ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଦର୍ଶନ କରେ। 
ଯେ କେହି ମୋʼ ଠାରେ ବିଶ୍ୱାସ କରେ, ସେ ଯେପରି ଅନ୍ଧକାରରେ ବାସ ନ କରେ, ଏଥିପାଇଁ ମୁଁ ଜଗତକୁ ଜ୍ୟୋତିଃ ହୋଇ ଆସିଅଛି। 
କେହି ଯଦି ମୋହର ବାକ୍ୟ ଶୁଣି ପାଳନ କରେ ନାହିଁ, ତାହାହେଲେ ମୁଁ ତାହାର ବିଚାର କରେ ନାହିଁ; କାରଣ ମୁଁ ଜଗତର ବିଚାର କରିବାକୁ ନ ଆସି ବରଂ ଜଗତକୁ ପରିତ୍ରାଣ କରିବାକୁ ଆସିଅଛି। 
ଯେ ମୋତେ ଅଗ୍ରାହ୍ୟ କରେ ଓ ମୋହର ବାକ୍ୟ ଗ୍ରହଣ କରେ ନାହିଁ, ତାହାର ବିଚାରକର୍ତ୍ତା ଅଛି; ମୁଁ ଯେଉଁ ବାକ୍ୟ କହିଅଛି, ତାହା ଶେଷ ଦିନରେ ତାହାର ବିଚାର କରିବ। 
କାରଣ ମୁଁ ଆପଣାଠାରୁ କହି ନାହିଁ, ମାତ୍ର ମୁଁ କଅଣ କହିବି ଓ କଅଣ ବ୍ୟକ୍ତ କରିବି, ତାହା ମୋହର ପ୍ରେରଣକର୍ତ୍ତା ପିତା ମୋତେ ଆଜ୍ଞା ଦେଇଅଛନ୍ତି; 
ପୁଣି, ତାହାଙ୍କ ଆଜ୍ଞା ଯେ ଅନନ୍ତ ଜୀବନ, ଏହା ମୁଁ ଜାଣେ। ଅତଏବ, ମୁଁ ଯେ ଯେ କଥା କହେ, ପିତା ମୋତେ ଯେପରି କହିଅଛନ୍ତି, ସେହିପରି କହେ।” 
