﻿ତୀତସ.
2.
କିନ୍ତୁ ତୁମ୍ଭେ ହିତଜନକ ଶିକ୍ଷାର ଉପଯୁକ୍ତ କଥା କୁହ। 
ବୃଦ୍ଧ ପୁରୁଷମାନଙ୍କୁ ମିତଭୋଗୀ, ଗମ୍ଭୀର, ସୁବୁଦ୍ଧି ପୁଣି, ବିଶ୍ୱାସ, ପ୍ରେମ ଓ ସହିଷ୍ଣୁତାରେ ସବଳ ହେବାକୁ, 
ପୁଣି, ବୃଦ୍ଧ ସ୍ତ୍ରୀମାନଙ୍କୁ ସେହିପରି ପରନିନ୍ଦୁକା ଓ ମଦ୍ୟପାନରେ ଆସକ୍ତା ନ ହୋଇ ଶୁଦ୍ଧାଚାରିଣୀ ହେବାକୁ ଓ ସୁଶିକ୍ଷା ଦେବାକୁ ଅନୁରୋଧ କର; 
ଈଶ୍ଵରଙ୍କ ବାକ୍ୟ ଯେପରି ନିନ୍ଦିତ ନ ହୁଏ, ଏଥିନିମନ୍ତେ ସେମାନେ ଯୁବତୀମାନଙ୍କୁ ପତିବ୍ରତା, 
ସନ୍ତାନବତ୍ସଳା, ଆତ୍ମସଂଯମୀ, ସତୀ, ସୁଗୃହିଣୀ, ସୁଶୀଳା ଓ ଆପଣା ଆପଣା ସ୍ୱାମୀର ବଶୀଭୂତା ହେବାକୁ ଶିକ୍ଷା ଦିଅନ୍ତୁ। 
ସେହିପରି ଯୁବକମାନଙ୍କୁ ସର୍ବ ବିଷୟରେ ସୁବୁଦ୍ଧି ହେବା ପାଇଁ ଉତ୍ସାହ ଦିଅ; 
ତୁମ୍ଭେ ନିଜେ ଆପଣା ଆଚରଣରେ ସତ୍କର୍ମର ଆଦର୍ଶ ଦେଖାଅ, ଶିକ୍ଷାରେ ନିଷ୍କପଟ ଓ ଗଭୀର ଭାବ ଏବଂ ହିତଜନକ ଅଖଣ୍ଡନୀୟ ବାକ୍ୟ ପ୍ରକାଶ କର, 
ଯେପରି ବିପକ୍ଷ ଲୋକ, ଆମ୍ଭମାନଙ୍କ ବିଷୟରେ କୌଣସି ମନ୍ଦ କଥା କହି ନ ପାରି ଲଜ୍ଜିତ ହେବ। 
ଦାସମାନଙ୍କୁ ଶିକ୍ଷା ଦିଅ ଯେ, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କର ବଶୀଭୂତ ହୋଇ ରୁହନ୍ତୁ, ସମସ୍ତ ବିଷୟରେ ସେମାନଙ୍କର ସନ୍ତୋଷଭାଜନ ହୁଅନ୍ତୁ, 
ପ୍ରତିବାଦ ନ କରନ୍ତୁ, କିଛି ହିଁ ଚୋରି ନ କରି ବରଂ ସମ୍ପୂର୍ଣ୍ଣ ବିଶ୍ୱସ୍ତତା ପ୍ରକାଶ କରନ୍ତୁ, ଯେପରି ସେମାନେ ସବୁ ବିଷୟରେ ଅାମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଶିକ୍ଷାର ଅଳଙ୍କାର ସ୍ୱରୂପ ହୁଅନ୍ତି। 
କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ବରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି, 
ପୁଣି, ଆମ୍ଭେମାନେ ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନଯାପନ କରୁ, 
ଆଉ ସେହି ଆନନ୍ଦଦାୟକ ଭରସା ପୁଣି, ଆମ୍ଭମାନଙ୍କ ମହାନ ଈଶ୍ବର ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଗୌରବର ପ୍ରକାଶ ଅପେକ୍ଷାରେ ରହୁ, ଏଥିନିମନ୍ତେ ଶିକ୍ଷା ଦେଉଅଛି। 
ସେହି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଓ ଆପଣା ନିମନ୍ତେ ସତ୍କର୍ମରେ ଉଦ୍‌ଯୋଗୀ ନିଜସ୍ୱ ଲୋକ ସ୍ୱରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ। 
ଏହି ସମସ୍ତ କଥା କହି ପୂର୍ଣ୍ଣ କ୍ଷମତା ସହ ଉତ୍ସାହ ଦିଅ ଓ ଅନୁଯୋଗ କର। କେହି ତୁମ୍ଭକୁ ତୁଚ୍ଛ ନ କରୁ। 
